Friday, June 26, 2026

ଅପେକ୍ଷା

 "ଏତେ ବେଳ ଯାଏ କୋଉଠି ଥିଲ ? ମୁଁ କେତେ ବେଳୁ wait କରିଛି ! ଯା' ମୁଁ ତମ ସାଙ୍ଗରେ କଥା ହେବିନି |" ତା' ସ୍ୱରରେ ଥିଲା କିଛି କୋହ ଆଉ କିଛି ଅଭିମାନ | ଦୁମ ଦୁମ ହେଇ ଘର ଭିତରକୁ ପଳେଇଲା |


"ଏତେ late କାହିଁକି ହେଲା? ମନ୍ଦିରରେ ଭିଡ ଥିଲା କି? " ବଡ ମା' ଆମକୁ ଘରକୁ ଡାକି ନେଲା ବେଳେ ପଚାରିଲେ |


ସୋଫା ରେ ବସି ପଚାରିଲି , "କୁଆଡେ ଗଲା ସେ?"


"କୋଉଠି ବସି ଥିବ ଭିତରେ ରୁଷି କି | ତୁମେ ଆଗ ଆସ କିଛି ଖାଇ ଦିଅ, ସେ ବଳେ ଆସିବନି|" ବଡ ମା' କହିଲେ |


ପ୍ରବଳ ଭୋକ କରୁଥିଲା | Dining table ରେ ବଢ଼ା ହେଇଥିବା ଲୋଭନୀୟ ଖାଦ୍ୟ ଦେଖି , କିଛି କ୍ଷଣ ତା' କଥା ଭୁଲି ଗଲି |

ପେଟରେ ଟିକେ ଖାଦ୍ୟ ପଡିଲା ପରେ ମନ ଶାନ୍ତ ହେଲା |


"ଆରେ ସେଠି କବାଟ ପାଖରେ କାହିଁକି ଠିଆ ହେଇଛୁ, ଭିତରକୁ ଆସୁନୁ |" ବଡ ମା' ତାକୁ ଡାକିଲେ |


ଦୌଡ଼ି ଦୌଡ଼ି ସେ ପୁଣି ଭିତରୁକୁ ପଳେଇଲା |


"ସକାଳ ଠାରୁ ଏପର୍ଯ୍ୟନ୍ତ କମସେକମ 200 ଥର ପଚାରି ସାରିଲାଣି 'କେବେ ଆସିବେ? କେବେ ଆସିବେ?' | Gate ପାଖରୁ ଟିକେ ବି ଘୁଞ୍ଚିନି | ଏବେ ତମମାନଙ୍କୁ ଦେଖି ଲାଜ କରୁଛି |" ହାସିଲେ ବଡ ମା' |


କିଛି ସମୟ ପରେ ଆସି ପହଁଚିଲା, ଗୋଟେ ବହି ଧରି | ତା' ହାତକୁ ଲକ୍ଷ କଲି | ହାତ ପାପୁଲି ନାଲି ପଡି ଯାଇଥିଲା | ଲୁହା Gate ରୁ ଓହଳି ଓହଳି ବୋଧେ | ଏଥର ଲାଜେଇ ଲାଜେଇ ପଚାରିଲା, " ବହିଟା ମତେ ଟିକେ ପଢ଼େଇ ଦବ?" ଏଥର ତା' କଥାରେ ଥିଲା ଆଉ ଅଭିମାନ | ସବୁ ରାଗ ରୋଷ ସତେ ଯେମିତି ଉଭେଇ ଯାଇଥିଲା | ଅପେକ୍ଷା କଷ୍ଟ ସେ ସମ୍ପୂର୍ଣ ଭୁଲି ଯାଇଥିଲା | ଆଖିରେ ଥିଲା କେବଳ ଆନନ୍ଦ | ବହୁ ଦିନ, ବହୁ ସମୟ ଅପେକ୍ଷା ପରେ କିଛି ମିଳି ଯାଇଥିବାର ଆନନ୍ଦ | କୋହ ଟା ପରିବର୍ତ୍ତନ ହେଇ ଯାଇଥିଲା ହସ ରେ | କେତେ ନିରୀହ ସେ ହସ ! ବେଶୀ କିଛି ଆଶା କରି ନଥିଲା ସେ | ଖାଲି ଚାହିଁ ଥିଲା ମୋର କିଛି ସମୟ | କିଛି ସାନିଧ୍ୟ | ବହୁତ କମ ସମୟ ହିଁ ବିତେଇ ପାରି ଥିଲି ତା' ସହିତ | ଯେତେ ବେଳେ ବିଦାୟ ନେଲି, ପୁଣି ଘର ଭିତରକୁ ଦୌଡ଼ି ପଳେଇଲା | ହୁଏତ ଚାହୁଁ ନଥିଲା କେହି ତା' ଲୁହ ଦେଖନ୍ତୁ ବୋଲି | Car drive କରିକି ଗଲା ବେଳେ ଦେଖିଲି ତାକୁ ଦୂରରୁ | ଆଖିରେ ଥିଲା ପ୍ରଶ୍ନ "ପୁଣି କେବେ ଆସିବ?"


ସେଦିନ ଥିଲା ମୋର ପ୍ରଥମ ଦେଖା - ଚାରି ବର୍ଷ ଆରାଧନା ସହିତ |


କେତେ ଦିନ ବିତି ଗଲାଣି | ତଥାପି ତା' ସେ Gate ରେ ଝୁଲି ଝୁଲି ଅପଲକ ନୟନରେ ଆମକୁ ଅପେକ୍ଷା କରି ରହିଥିବାର ଦୃଶ୍ୟ ମୁଁ ଭୁଲି ପାରୁନି |

ପୁଣି କେବେ ଦେଖା ହବ? 

ମୁଁ ଅପେକ୍ଷାରେ ରହିଛି | ସେଇ ନିରୀହ ନିଷ୍କପଟ ହସର, ଅଭିମାନ |

No comments:

Post a Comment